ଯେତେଦୂର ତାଙ୍କର ମନେ ପଡ଼େ, ଏକଦା ମୋହନଲାଲଙ୍କ ମନପ୍ରାଣକୁ ଆଚ୍ଛାଦିତ କରିଥିଲା କାହିଁ କେଉ ଦୂରରୁ ଭାସି ଆସୁଥିବା ହାତୁଡ଼ି ପିଟିବାର ଧ୍ୱନି । ଗୋଟିଏ ତାଳ, ଗୋଟିଏ ଲୟରେ ସୃଷ୍ଟ ଏହି ଧ୍ୱନି ଶୁଣି ଶୁଣି ସେ ବଡ଼ ହୋଇଥିଲେ ଏବଂ ଭବିଷ୍ୟତରେ ଏହି ବାଦ୍ୟଯନ୍ତ୍ର ଗଢ଼ିବା ଯେ ତାଙ୍କ ଜୀବନ ସାରା ଆବେଗ ଭରି ଦେବ ବୋଲି ଜାଣିପାରିଥିଲେ।
ରାଜସ୍ଥାନର ବାଡ଼ମେର ଜିଲ୍ଲା ଅନ୍ତର୍ଗତ ନନ୍ଦ ଗାଁର ଏକ ଲୋହାର (କମାର) ପରିବାରରେ ଜନ୍ମ ନେଇଥିଲେ ମୋହନଲାଲ । ଆଠ ବର୍ଷ ବୟସରେ ସେ ତାଙ୍କ ବାପା ଭବରାରାମ ଲୋହାରଙ୍କ କାମରେ ସାହାଯ୍ୟ କରିବା ଆରମ୍ଭ କରି ତାଙ୍କ ହାତକୁ ହାତୁଡ଼ି ଓ ଅନ୍ୟ ଉପକରଣ ବଢ଼ାଇ ଦେଉଥିଲେ । ସେ କହନ୍ତି, “ମୁଁ କେବେହେଲେ ସ୍କୁଲକୁ ଗଲି ନାହିଁ ଏବଂ ଏହି ସବୁ ଯନ୍ତ୍ରପାତି ଧରି ଖେଳିବାରେ ଲାଗିଗଲି ।”
ତାଙ୍କ ପରିବାର ଗଡୁଲିୟା ଲୋହାର ସଂପ୍ରଦାୟର ଏବଂ ଏହା ରାଜସ୍ଥାନରେ ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ । ସେମାନେ ମାରୱାଡ଼ି ଓ ହିନ୍ଦୀ କହନ୍ତି । ପାଞ୍ଚ ଦଶନ୍ଧି ତଳେ, ୧୯୮୦ ଦଶକର ପ୍ରାରମ୍ଭିକ ଭାଗରେ ଅଧିକ କାମ ଖୋଜିବା ଲାଗି ଜୟସାଲମେର ଆସିବା ବେଳେ ମୋହନଲାଲ କିଶୋର ବୟସରେ ଥିଲେ । ସେବେଠାରୁ ସେ ବିଭିନ୍ନ ଧାତୁରେ, ଆଲୁମିନିୟମ, ରୁପା, ଷ୍ଟିଲ ଏବଂ ଏମିତି କି ପିତ୍ତଳରେ ବି, ମୋର୍ଚାଙ୍ଗ ଗଢ଼ି ଆସୁଛନ୍ତି ।
“କେବଳ ଖଣ୍ଡିଏ ଲୋହା (ଲୁହା)କୁ ଛୁଇଁ ଦେଇ ଏଥିରୁ ଭଲ ଶବ୍ଦ ବାହାରିବ କି ନାହିଁ ବୋଲି ମୁଁ କହିପାରିବି,” ମୋହନ ଲାଲ କହନ୍ତି । କାରଣ, ଲାଲ ଟହଟହ ଗରମ ଲୁହାରେ ହାତୁଡ଼ି ପିଟି ଏହାକୁ ମୋର୍ଚାଙ୍ଗର ଆକାର ଦେବାରେ ସେ ତାଙ୍କ ଜୀବନକାଳର ୨୦,୦୦୦ ଘଣ୍ଟାରୁ ଅଧିକ ସମୟ ବିତାଇ ଦେଇଛନ୍ତି । ମୋର୍ଚାଙ୍ଗ ଏକ ତାଳ ବାଦ୍ୟଯନ୍ତ୍ର, ଯାହାର ସ୍ୱର ସାରା ଜୟସାଲମେରର ବାଲି ସ୍ତୁପରେ ଝଙ୍କୃତ ହୁଏ ।
“ମୋର୍ଚାଙ୍ଗ ଗଢ଼ିବା କଷ୍ଟକର କାମ”, କହନ୍ତି ଏହି ୬୫ ବର୍ଷୀୟ କାରିଗର ଜଣକ । ହେଲେ ଆଜି ଯାଏଁ କେତୋଟି ମୋର୍ଚାଙ୍ଗ ଗଢ଼ିଛନ୍ତି ତାହା ସେ ମନେ ପକାଇ ପାରନ୍ତିନି; “ ଗିନତି ସେ ବାହାର ହୈ ୱହ (ତାହାକୁ ଗଣି ହେବ ନାହିଁ) ।”
ଗୋଟିଏ ମୋର୍ଚାଙ୍ଗ (ମୋରସିଙ୍ଗ ଭାବରେ ମଧ୍ୟ ଉଚ୍ଚାରିତ)ର ଲମ୍ବା ମୋଟାମୋଟି ୧୦ ଇଞ୍ଚ । ଏଥିରେ ଘୋଡ଼ା ନାଲ ଭଳି ଏକ ଗୋଲାକାର ଧାତବ ଖଣ୍ଡ ସହିତ ଦୁଇଟି ସମାନ୍ତରାଳ କେନା ସଂଲଗ୍ନ ହୋଇଥାଏ । ଏଗୁଡ଼ିକର ମଧ୍ୟ ଭାଗରେ ଥିବା ଧାତବ ପାତିଆ ଭଳି ଅଂଶକୁ ଟ୍ରିଗର କୁହାଯାଏ ଏବଂ ଏହା ମୋର୍ଚାଙ୍ଗର ଗୋଟିଏ କଡ଼ରେ ଲାଗିଥାଏ । ବାଦ୍ୟକାର ଏହାକୁ ନିଜର ଆଗଦାନ୍ତରେ ଚାପି ଧରି ଏହା ଭିତରକୁ ନାକରେ ପବନ ଛାଡ଼ନ୍ତି । ଗୋଟିଏ ହାତରେ ସେ ମୋର୍ଚାଙ୍ଗର ଜିଭ ବା ପାତିଆ ଭଳି ଅଂଶକୁ ଚଳାଇ ଏଥିରୁ ସଙ୍ଗୀତର ସ୍ୱର ସୃଷ୍ଟି କରୁଥିବା ବେଳେ ଅନ୍ୟ ହାତରେ ଏହାର ଗୋଲାକାର ଲୁହା ଅଂଶକୁ ଧରିଥାଆନ୍ତି ।
ମୋହନଲାଲ ଲୋହାର ଜଣେ ଦକ୍ଷ ବାଦ୍ୟଯନ୍ତ୍ର ନିର୍ମାତା ଏବଂ ପ୍ରଖ୍ୟାତ ମୋର୍ଚାଙ୍ଗ ବାଦକ । ପାଞ୍ଚ ଦଶନ୍ଧିରୁ ଅଧିକ କାଳ ବିତାଇ ସେ ଏହି କାରିଗରୀରେ ନିପୁଣତା ହାସଲ କରିଛନ୍ତି । ମୋର୍ଚାଙ୍ଗ ଏକ ତାଳ ବାଦ୍ୟଯନ୍ତ୍ର, ଯାହାର ଝଙ୍କାର ସାରା ଜୟସାଲମେରର ବିଭିନ୍ନ ବାଲୁକା ସ୍ତୁପରୁ ଶୁଭୁଥାଏ
ଏହି ବାଦ୍ୟଯନ୍ତ୍ର ଅନ୍ୟୂନ ୧,୫୦୦ ବର୍ଷ ପୁରୁଣା ଏବଂ “ଗୃହପାଳିତ ପଶୁ ଚରାଇବା ବେଳେ ପଶୁପାଳକମାନେ ମୋର୍ଚାଙ୍ଗ ବଜାଉଥିଲେ,” ମୋହନଲାଲ କହନ୍ତି । ପଶୁପାଳକମାନଙ୍କ ସହିତ ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୂରି ବୁଲିଲା ଏବଂ ବିଭିନ୍ନ ଦୂରବର୍ତ୍ତୀ ସ୍ଥାନରେ ପହଞ୍ଚିଲା । କ୍ରମଶଃ, ସାରା ରାଜସ୍ଥାନରେ, ବିଶେଷତଃ ଜୟସାଲମେର ଏବଂ ଯୋଧପୁର ଜିଲ୍ଲାରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଲା ।
ବୟସର ଷାଠିଏ ଦଶକରେ ପହଞ୍ଚି ସାରିଥିବା ମୋହନଲାଲଙ୍କୁ ଏବେ ଗୋଟିଏ ମୋର୍ଚାଙ୍ଗ ତିଆରି କରିବା ପାଇଁ ଆଠ ଘଣ୍ଟା ଲାଗୁଛି । କିନ୍ତୁ ପୂର୍ବରୁ ସେ ଦିନକୁ ଦୁଇଟି ତିଆରି କରିପାରୁଥିଲେ । “ମୁଁ ଦିନକରେ କେବଳ ଗୋଟିଏ ମୋର୍ଚାଙ୍ଗ କରେ, କାରଣ, ମୁଁ ଏହାର ଗୁଣମାନ କମ୍ କରିବାକୁ ଚାହେଁ ନାହିଁ,” ସେ କହନ୍ତି ଏବଂ କଥା ଯୋଡ଼ନ୍ତି, “ମୋ ହାତ ତିଆରି ମୋର୍ଚାଙ୍ଗ ଏବେ ବିଶ୍ୱପ୍ରସିଦ୍ଧ ।” ସେ ମଧ୍ୟ ମୋର୍ଚାଙ୍ଗ ଆକୃତିର ଛୋଟ ଛୋଟ ଲକେଟ୍ ଗଢ଼ିବାରେ ପାରଙ୍ଗମ, ଯାହା କି ପର୍ଯ୍ୟଟକମାନଙ୍କର ଏକ ପ୍ରିୟବସ୍ତୁ ।
ମୋର୍ଚାଙ୍ଗ ପାଇଁ ଉପଯୁକ୍ତ ପ୍ରକାରର ଲୋହା (ଲୁହା) ଚିହ୍ନଟ କରିବା ବଡ଼କଥା, କାରଣ, ସେ କହନ୍ତି, “ସବୁ ଲୋହା ରୁ ଭଲ ମୋର୍ଚାଙ୍ଗ ତିଆରି ହୋଇପାରିବ ନାହିଁ ।” ଏଥିପାଇଁ ସର୍ବୋତ୍କୃଷ୍ଟ ଲୁହା ଚୟନ କୌଶଳ ହାସଲ ଲାଗି ତାଙ୍କୁ ଦଶ ବର୍ଷରୁ ଅଧିକ ସମୟ ଲାଗିଗଲା । ସେ ଜୟସାଲମେରରୁ ଲୁହା କିଣନ୍ତି – କିଲୋ ପିଛା ପ୍ରାୟ ୧୦୦ ଟଙ୍କାରେ; ଗୋଟିଏ ମୋର୍ଚାଙ୍ଗର ଓଜନ ୧୫୦ ଗ୍ରାମରୁ ଅଧିକ ହୁଏ ନାହିଁ, ଏବଂ ସଙ୍ଗୀତଜ୍ଞମାନେ ହାଲୁକା ମୋର୍ଚାଙ୍ଗକୁ ଅଧିକ ପସନ୍ଦ କରନ୍ତି ।
ମୋହନଲାଲଙ୍କ ପରିବାର ସେମାନଙ୍କର ପାରମ୍ପରିକ କମାରଶାଳରେ କାମ କରନ୍ତି, ଯାହାକୁ ମାରୱାଡ଼ି ଭାଷାରେ ଧମନ ବୋଲି କୁହାଯାଏ । “ଆପଣ ଜୟସାଲମେର ସହରର ଆଉ କେଉଁଠି ଏମିତିକା କମାରଶାଳ ଦେଖିବାକୁ ପାଇବେନି,” ସେ କହନ୍ତି । “ଏହା ଅତି କମ୍ରେ ୧୦୦ ବର୍ଷ ପୁରୁଣା ଏବଂ ଏବେ ବି ପୂରା ଠିକ୍ ଭାବରେ କାମ କରେ ।”
ଧାତୁକୁ ତରଳାଇ ଆକାର ଦେବା ଲାଗି ମୋହନଲାଲଙ୍କ ପରିବାର ସେମାନଙ୍କର ପାରମ୍ପରିକ କମାରଶାଳ ବ୍ୟବହାର କରନ୍ତି ଯାହାକୁ ଧମନ (ବାମ) କୁହାଯାଏ । ଏହି ଧମନ ‘ ଅତି କମ୍ରେ ୧୦୦ ବର୍ଷ ପୁରୁଣା ଏବଂ ଏବେ ବି ପୂରା ଠିକ୍ ଭାବରେ କାମ କରେ, ’ ସେ କହନ୍ତି । ତାପମାତ୍ରା ବଢ଼ିବା ସହିତ ଏହି ଶାଳରୁ ବହୁ ପରିମାଣର ଧୂଆଁ ବାହାରେ (ଡାହାଣ), ଯାହା ଯୋଗୁଁ ଶ୍ୱା ସକ୍ରିୟାରେ ସମସ୍ୟା ସହିତ କାଶ ହୁଏ, ମୋହନଲାଲ କହନ୍ତି
କମାରଶାଳରେ ଲୁହାକୁ ଗରମ କରିବା କଠିନ କାମ ଏବଂ ଏଥିରେ ପୋଡ଼ି ହୋଇ ଗୁରୁତର ଆହତ ହେବାର ଆଶଙ୍କା ରହିଛି, ମୋହନଲାଲ କହନ୍ତି । ମୋହନଲାଲଙ୍କ ଜ୍ୱା ଇଁ କାଲୁଜୀ (ଡାହାଣ) ଗରମ ଲୁହାରେ ହାତୁଡ଼ି ପିଟିବାରେ ତାଙ୍କୁ ସାହାଯ୍ୟ କରୁଛନ୍ତି
ଶାଳରେ ପବନ ପୂରାଇବା ଲାଗି ସେ ଛେଳି ଚମଡ଼ାରୁ ତିଆରି ଦୁଇଟି ଥଳି ବ୍ୟବହାର କରନ୍ତି । ଯେଉଁ କାଠ ନଳି ଭିତର ଦେଇ ପବନ ବାହାରି ଯାଏ ତାହା ରୋହିଦା ଗଛ ( tecomella undulata )ର କାଠରେ ତିଆରି ହୋଇଥାଏ । ଅତି କମ୍ରେ ତିନି ଘଣ୍ଟା ଧରି ଅବିରତ ପବନ ଦେବାକୁ ହୁଏ କାରଣ ଏକା ସାଙ୍ଗରେ ଲୁହା ଗରମ ହୋଇଥାଏ । ଏହା ଏକ ଶ୍ରମସାପେକ୍ଷ କାମ । ଶାରୀରିକ ଭାବେ ପବନ ଭରିବା ଦ୍ୱାରା କାନ୍ଧ ଓ ପିଠିରେ ଯନ୍ତ୍ରଣା ହୁଏ; ବାୟୁ ଚଳାଚଳ ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ଅଣନିଃଶ୍ୱାସୀ ହୋଇପଡ଼ିବା ସହିତ ମାତ୍ରାଧିକ ପରିମାଣର ଝାଳ ବୋହିଥାଏ ।
ମୋହନଲାଲଙ୍କ ସ୍ତ୍ରୀ ଗିଗିଦେବୀ, ଏହି ପମ୍ପ୍ ଦେଇ ପବନ ପୂରାଇବା କାମରେ ସବୁବେଳେ ତାଙ୍କୁ ସାହାଯ୍ୟ କରିଆସୁଥିଲେ । କିନ୍ତୁ ବୟସାଧିକ୍ୟ କାରଣରୁ ସେ ତାହା ବନ୍ଦ କରିଦେଇଛନ୍ତି । “ସମଗ୍ର ମୋର୍ଚାଙ୍ଗ ତିଆରି ପ୍ରକ୍ରିୟାରେ ଏହା ଏକମାତ୍ର କାମ ଯାହାକୁ ମହିଳାମାନେ କରନ୍ତି । ପରମ୍ପରାଗତ ଭାବେ ବାକି ସବୁ କାମ ପୁରୁଷମାନେ କରିଥାଆନ୍ତି,” ୬୦ ବର୍ଷୀୟା ଗିଗିଦେବୀ କହନ୍ତି । ସେମାନଙ୍କ ଦୁଇ ପୁଅ ରନମାଲ ଏବଂ ହରିଶଙ୍କର – ଦୁହେଁ ଷଷ୍ଠ ପିଢ଼ିର ଲୋହାର - ମଧ୍ୟ ମୋର୍ଚାଙ୍ଗ ତିଆରି କରନ୍ତି ।
ପମ୍ପ୍ ଦେବା ଚାଲୁ ହେବା ମାତ୍ରେ ମୋହନଲାଲ ଗୋଟିଏ ସଣ୍ଡାସି (କମାରଙ୍କ ସଣ୍ଡୁଆସି) ବ୍ୟବହାର କରି ଲାଲ-ଗରମ ଲୁହାକୁ ଧରି ଉପରକୁ ଉଠି ରହିଥିବା ଗୋଟିଏ ଲୌହ ପଟଳ ବା ଆରନ୍ ଉପରେ ରଖନ୍ତି । ତୁରନ୍ତ ସେ ନିଜ ଡାହାଣ ହାତରେ ହାତୁଡ଼ି ଉଠାନ୍ତି ଏବଂ ସାବଧାନତାର ସହ ବାମ ହାତରେ ଧରିଥିବା ଲୁହା ଖଣ୍ଡ ଉପରେ ରଖି ଦିଅନ୍ତି । ଆଉ ଜଣେ ଲୋହାର ଗୋଟିଏ ପାଞ୍ଚ କିଲୋଗ୍ରାମ ଓଜନର ହାତୁଡ଼ିକୁ ସେହି ଲୁହାଖଣ୍ଡ ଉପରେ ପିଟିବାରେ ଲାଗନ୍ତି ଏବଂ ମୋହନଲାଲ ତାଙ୍କ ସହିତ ମିଶିବା ପରେ ଦୁହେଁ ହାତୁଡ଼ିରେ ପିଟନ୍ତି ।
ଜଣକ ପରେ ଜଣେ କରି ଲୋହାର ଦୁହେଁ ଗୋଟିଏ ଲୟରେ ହାତୁଡ଼ି ପିଟନ୍ତି, “ଏଥିରୁ ଗୋଟିଏ ଢୋଲକି ବାଜିବା ପରି ସ୍ୱର ବାହାରେ ଏବଂ ଏଥିପାଇଁ ମୁଁ ମୋର୍ଚାଙ୍ଗ ତିଆରି କାମକୁ ଭଲ ପାଇ ବସେ,” ମୋହନଲାଲ କହନ୍ତି ।
ମୋର୍ଚାଙ୍ଗ ତିଆରି କରିବା ଲାଗି ମୋହନଲାଲ ବ୍ୟବହାର କରୁଥିବା କେତେକ ଉପକରଣ: (ବାମରୁ ଡାହାଣକୁ) ଘାନ, ହଥୋଡ଼ା, ସଣ୍ଡାସି, ଚିନି, ଲୋରିୟା ଏବଂ ଖୁର୍ପି । ‘ଗୋଟିଏ ମୋର୍ଚାଙ୍ଗ ତିଆରି କରିବା କଷ୍ଟକର କାମ,’ କହନ୍ତି ଏହି ୬୫ ବର୍ଷୀୟ କାରିଗର ଏବଂ ଆହୁରି କହନ୍ତି ଯେ, ସେ କେତେ ମୋର୍ଚାଙ୍ଗ ତିଆରି କରିଛନ୍ତି ସେ କଥା ମନେ ପକେଇ ପାରିବେନି; ‘ଗିନ୍ତି ସେ ବାହାର ହୈ ୱହ (ତାହା ଗଣି ହେବନାହିଁ)’
ବାମ: ତାଙ୍କର ସେହି ବାଦ୍ୟଯନ୍ତ୍ରଟିକୁ ବଜାଉଛନ୍ତି ମୋହନଲାଲଙ୍କ ବଡ଼ପୁଅ ରନମାଲ, ଷଷ୍ଠ ପିଢ଼ିର ଜଣେ ଲୋହାର। ହାତୁଡ଼ିରେ ପିଟିବା କାମ ଲାଗି ଅନେକ ଲୋକ ମେସିନ୍ ବ୍ୟବହାର କଲେଣି, କିନ୍ତୁ ଆଜି ବି ଆମେ ଖାଲି ହାତରେ ଏହା କରୁଛୁ,” ସେ କହନ୍ତି । ଡାହାଣ: ମୋର୍ଚାଙ୍ଗ ବ୍ୟତୀତ ଅଲଗୋଜା, ଶେହନାଇ, ମୁରଲି, ସାରଙ୍ଗି, ହାରମୋନିୟମ ଏବଂ ବଂଶୀ ତିଆରି କରି ଶିଖିଛନ୍ତି ମୋହନଲାଲ
ଏହି ‘ସଙ୍ଗୀତ’ ପ୍ରାୟ ତିନି ଘଣ୍ଟା ଧରି ଚାଲେ ଏବଂ ଏହା ଫଳରେ ତାଙ୍କର ଦୁଇ ହାତ ଫୁଲିଯାଏ । ଏହି ତିନି ଘଣ୍ଟାର ସମୟ ଭିତରେ ନିଶ୍ଚିତ ଭାରେ ସେ ୧୦,୦୦୦ ଥର ହାତୁଡ଼ି ଉଠାଇ ପିଟି ସାରିଥିବେ ଏବଂ ଥରେ ଟିକେ ଖସି ଗଲେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥାଆନ୍ତା । “ଆଗରୁ କେତେଥର ଏଥିରେ ମୋର ନଖ ଭାଙ୍ଗି ଯାଇଛି । ଏଭଳି କାମରେ ଆଘାତ ଲାଗିବା ସାଧାରଣ କଥା,” ଯନ୍ତ୍ରଣାକୁ ହସରେ ଉଡ଼ାଇ ଦେଇ ମୋହନଲାଲ କହନ୍ତି । ଆଘାତ ଲାଗିବା ବ୍ୟତୀତ ଶରୀରର ତ୍ୱଚା ପୋଡ଼ି ଯିବା ବି ସାଧାରଣ କଥା । “ଅନେକ ଲୋକ ହାତୁଡ଼ି ପିଟିବା ଲାଗି ମେସିନ୍ ବ୍ୟବହାର କଲେଣି, କିନ୍ତୁ ଆମେ ଆଜି ବି ଖାଲି ହାତରେ ଏହା କରୁଛୁ,” ମୋହନଲାଲଙ୍କ ବଡ଼ପୁଅ ରନମାଲ କହନ୍ତି ।
ଲୁହାକୁ ହାତୁଡ଼ିରେ ପିଟିବା ପରେ ମୋର୍ଚାଙ୍ଗ ତିଆରିର ସବୁଠାରୁ କଷ୍ଟକର ପର୍ଯ୍ୟାୟ ଆରମ୍ଭ ହୁଏ- ତାହା ହେଉଛି ସତର୍କତାର ସହିତ ତତଲା ଲୁହାକୁ ଆକାର ଦେବା । ଏହି ପ୍ରକ୍ରିୟାରେ ଆଉ ଦୁଇ ଘଣ୍ଟା ଲାଗିଯାଏ ଏବଂ ଏହାରି ଭିତରେ ସେ ଏହାର ସୂକ୍ଷ୍ମ ଡିଜାଇନ୍କୁ ଖୋଦେଇ କରନ୍ତି । ଏହା ପରେ ବାଦ୍ୟଯନ୍ତ୍ରଟିର ପୃଷ୍ଠଭାଗକୁ ଘଷି ମସୃଣ କରିବା ପୂର୍ବରୁ ଏହାକୁ ଥଣ୍ଡା ହେବା ଲାଗି ଘଣ୍ଟାଏ କି ଦୁଇ ଘଣ୍ଟା ପାଇଁ ଛାଡ଼ି ଦିଆଯାଏ । “ଫାଇଲିଂ ଯାଦୁ ସୃଷ୍ଟି କରେ, କାରଣ ଏହା ଫଳରେ ମୋର୍ଚାଙ୍ଗର ଉପରଭାଗ ଦର୍ପଣ ଭଳି ମସୃଣ ହୋଇଯାଏ,” ରନମାଲ କହନ୍ତି ।
ପ୍ରତି ମାସରେ ଅନ୍ତତଃ ୧୦ଟି ମୋର୍ଚାଙ୍ଗ ଗଢ଼ିବା ଲାଗି ମୋହନଲାଲଙ୍କ ପରିବାରକୁ ବରାଦ ମିଳେ ଏବଂ ଏଥିରୁ ପ୍ରତିଟି ୧,୨୦୦ରୁ ୧,୫୦୦ ଟଙ୍କାରେ ବିକ୍ରି ହୁଏ । ଶୀତଦିନେ, ଦଳ ଦଳ ହୋଇ ପର୍ଯ୍ୟଟକମାନଙ୍କ ଆଗମନ ସହିତ ଏହି ସଂଖ୍ୟା ଦୁଇଗୁଣ ହୋଇଯାଏ । “ଅନେକ ପର୍ଯ୍ୟଟକ ଇମେଲ୍ ଜରିଆରେ ମଧ୍ୟ ବରାଦ ଦିଅନ୍ତି,” ରନମାଲ କହନ୍ତି । ଫ୍ରାନ୍ସ, ଜର୍ମାନି, ଜାପାନ, ଆମେରିକା, ଅଷ୍ଟ୍ରେଲିଆ, ଇଟାଲି ଏବଂ ଅନ୍ୟ ଅନେକ ଦେଶରୁ ବରାଦ ମିଳିଥାଏ । ମୋହନଲାଲ ଓ ତାଙ୍କ ପୁଅମାନେ ମଧ୍ୟ ବିଭିନ୍ନ ସାଂସ୍କୃତିକ ସମାରୋହରେ ଅଂଶଗ୍ରହଣ କରିବା ଲାଗି ରାଜସ୍ଥାନର ବିଭିନ୍ନ ଭାଗକୁ ଯାତ୍ରା କରନ୍ତି, କଳା ପ୍ରଦର୍ଶନ ସହିତ ବିକ୍ରିବଟା ବି ହୁଏ ।
‘ଜଣେ ବ୍ୟକ୍ତିଙ୍କୁ ସାରା ଦିନ କାମ କରିବାକୁ ପଡ଼େ, ତେବେ ଯାଇ ୩୦୦ରୁ ୪୦୦ ଟଙ୍କା ରୋଜଗାର କରି ହୁଏ, ତାହା ବି ଯଦି କେହି ଗରାଖ କିଣିବାକୁ ଆସନ୍ତି । ସବୁଦିନ ଏଥିରୁ ଚଳି ହେବନାହିଁ,’ ମୋହନଲାଲ କହନ୍ତି
ଏହି କଳାକୁ ତାଙ୍କ ପୁଅମାନେ ଆପଣେଇ ନେଇଥିବାରୁ ମୋହନଲାଲ ଖୁସି ହୁଅନ୍ତି, କିନ୍ତୁ ଜୟସାଲମେରରେ ଖାଲି ହାତରେ ମୋର୍ଚାଙ୍ଗ ତିଆରି କରୁଥିବା କାରିଗରଙ୍କ ସଂଖ୍ୟା ଦ୍ରୁତ ହାରରେ କମିବାରେ ଲାଗିଛି । “ଲୋକେ ଏମିତି ଏକ (ଭଲ) ଗୁଣମାନର ମୋର୍ଚାଙ୍ଗ ପାଇଁ ହଜାରେ ଟଙ୍କା ବି ଦେବାକୁ ଚାହାଁନ୍ତିନି,” ସେ କହନ୍ତି । ମୋର୍ଚାଙ୍ଗ କାରିଗରୀରେ ବହୁତ ଧୈର୍ଯ୍ୟ ଓ କଠିନ ପରିଶ୍ରମ ଦରକାର ହୁଏ । ତେଣୁ ଅନେକ ଏହା କରିବାକୁ ଇଚ୍ଛୁକ ନୁହଁନ୍ତି । “ଜଣେ ବ୍ୟକ୍ତି ସାରା ଦିନ କାମ କରିବା ପରେ ହିଁ ଏଥିରୁ ୩୦୦ରୁ ୪୦୦ ଟଙ୍କା ରୋଜଗାର କରନ୍ତି, ତାହା ବି ଯଦି କେହି କିଣିବାକୁ ଗରାଖ ମିଳନ୍ତି । ସବୁଦିନ ଏଥିରୁ ଚଳି ହେବନାହିଁ,’ ସେ କହନ୍ତି ।
ଅନେକ ଲୋହାର ଙ୍କ କହିବା କଥା ଯେ ଏଥିରୁ ବାହାରୁଥିବା ଧୂଆଁରେ ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଏ । “କମାରଶାଳରୁ ଯେଉଁ ଧୂଆଁ ବାହାରେ ତାହା ସିଧା ଆଖି ଏବଂ ନାକ ଭିତରେ ପଶେ, ତେଣୁ କାଶ ହୁଏ,” ରନମାଲ କହନ୍ତି । “ପ୍ରବଳ ତାପମାତ୍ରାରେ ବି ଆମକୁ ଶାଳ ପାଖରେ ବସିବାକୁ ପଡ଼େ ଏବଂ ସେଥିରେ ରୁନ୍ଧି ହୋଇଯିବା ଭଳି ଲାଗେ ।” ଏହା ଶୁଣି ମୋହନଲାଲ ତାଙ୍କ ପୁଅକୁ ଆକଟ କରି କହନ୍ତି, “ତୁମେ ଯଦି ଆଘାତ ଆଡ଼କୁ ଧ୍ୟାନ ଦେବ, ତାହେଲେ କେମିତି ଶିଖିବ ?”
ମୋର୍ଚାଙ୍ଗ ବ୍ୟତୀତ ମୋହନଲାଲ ଅଲଗୋଜା (ଫୁଙ୍କିଲେ ବାଜୁଥିବା ଏକପ୍ରକାର ବାଦ୍ୟଯନ୍ତ୍ର ଯାହା ଯୋଡ଼ା ବଂଶୀ ନାମରେ ବି ପରିଚିତ), ଶେହନାଇ , ମୁରଲୀ , ସାରଙ୍ଗୀ , ହାରମୋନିୟମ ଏବଂ ବଂଶୀ ତିଆରି ଶିଖିଛନ୍ତି । “ମୁଁ ବାଦ୍ୟଯନ୍ତ୍ର ବଜାଇବାକୁ ଭଲ ପାଏ ଏବଂ ତେଣୁ ଏସବୁ ବାଦ୍ୟଯନ୍ତ୍ର ତିଆରି କରିବା ଶିଖୁଥାଏ ।” ସେଥିରୁ ଅନେକ ବାଦ୍ୟଯନ୍ତ୍ରକୁ ସେ ଗୋଟିଏ ଧାତବ ବାକ୍ସରେ ତାଲା ପକାଇ ରଖିଛନ୍ତି । “ ୟେ ମେରା ଖଜାନା ହୈ (ଏହା ହିଁ ମୋର ସଂପତ୍ତି)”, ଅଳ୍ପ ହସି ସେ କହନ୍ତି ।
ଏହି ଲେଖା ଗ୍ରାମୀଣ କାରିଗରଙ୍କ ଉପରେ ସଂକେତ ଜୈନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଶୃଙ୍ଖଳର ଅଂଶବିଶେଷ, ଏବଂ ଏହା ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନର ସହାୟତାରେ ପ୍ରସ୍ତୁତ ।
ଅନୁବାଦ : ଓଡ଼ିଶାଲାଇଭ୍